ନମୁନା ସଂଗ୍ରହର ସର୍ବୋତ୍ତମ ସମୟ ହେଉଛି ବୁଣିବା ଓ ରୋଇବା ପୂର୍ବରୁ । ଯେହେତୁ ଏବେ ଅନେକ ଅଞ୍ଚଳରେ ଅଣଋତୁ ଚାଲିଛି, ତେଣୁ ଏହା ହେଉଛି ମାଟି ପରୀକ୍ଷା କରିବା ଓ ଆପଣଙ୍କ ମାଟି ପାଇଁ ଖାଦ୍ୟସାର ବା ପୋଷକ ଆବଶ୍ୟକତାକୁ ଜାଣିବାର ପ୍ରକୃଷ୍ଟ ସମୟ । ମାଟି ନମୁନା ସମ୍ପୃକ୍ତ ଜମି/କ୍ଷେତର ବାସ୍ତବ ପ୍ରତିନିଧିତ୍ୱ କରୁଥିବା ଏବଂ ପରୀକ୍ଷା କରାଯାଉଥିବା ଜମିର ଅଂଶବିଶେଷ ହେବା ଆବଶ୍ୟକ । ମାଟି ନମୁନା ସଂଗ୍ରହ ପାଇଁ, 1-2 ସେମି ମୋଟେଇର ସ୍ୱତନ୍ତ୍ର ବେଧନୀ/ଫୋଡ଼ଣୀ ବା ଭଅଁର ଯନ୍ତ୍ର ସୁବିଧାଜନକ ହୋଇଥାଏ । କିନ୍ତୁ, ଏଥିପାଇଁ ଛୋଟ ଫାଉଡ଼ା ବ୍ୟବହାର କରାଯାଇପାରେ । ଯାହା ବି ହେଲେ, ଆବଶ୍ୟକ ନମୁନା ଗଭୀରତା ଲାଗି ଉପରୁ ତଳ ଯାଏଁ ମାଟିର ସମ ଆକାରର ଖଣ୍ଡ ନିଆଯିବା ଆବଶ୍ୟକ । ନମୁନା ସଂଗ୍ରହ ପାଇଁ ଉପଯୁକ୍ତ ଗଭୀରତା ହେଉଛି ପାଖାପାଖି 6 ରୁ 7 ଇଞ୍ଚ ଅର୍ଥାତ୍ 1 ଫୁଟ । ମାଟିର ଉପରି ପୃଷ୍ଠକୁ ସଫା କରନ୍ତୁ, ମାଟିକୁ V ଆକାରରେ କାଟି 50-100 ଗ୍ରାମ୍ ଓଜନର ମାଟି ଟେଳା ନିଅନ୍ତୁ । 1 ଏକରରୁ ଏହିଭଳି ଭାବେ 20ଟି ସ୍ଥାନରୁ ମାଟି ଟେଳା ସଂଗ୍ରହ କରନ୍ତୁ । ସେଗୁଡ଼ିକୁ ଏକାଠି କରି ଭଲଭାବେ ଫେଣ୍ଟି ମିଶାନ୍ତୁ । ମିଶିଲା ପରେ 500 ଗ୍ରାମ୍ ର ପ୍ରତିନିଧି ନମୁନା ନିଅନ୍ତୁ ।
ଏହିସବୁ ନମୁନାକୁ ଏକ ବାଲ୍ଟିରେ ସଂଗ୍ରହ କରନ୍ତୁ । ଚତୁର୍ଥାଂଶକରଣ (quartering) ବା ବଖରାକରଣ/ବିଭକ୍ତୀକରଣ (compartmentalization) କରାଯାଇ ନମୁନାର ଓଜନକୁ ପାଖାପାଖି ଅଧକିଲୋରୁ ଏକ କିଲୋଗ୍ରାମ ମଧ୍ୟରେ ରଖାଯିବା ଉଚିତ୍ । ଭଲଭାବେ ମିଶ୍ରଣ କରାଯାଇଥିବା ନମୁନାକୁ ଚାରିଟି ସମାନ ଭାଗରେ ବିଭକ୍ତ କରାଯାଇ ଚତୁର୍ଥାଂଶକରଣ କରାଯାଇଥାଏ । ଦୁଇ ବିପରୀତ ଚତୁର୍ଥାଂଶକୃତ ଭାଗକୁ ଫୋପାଡ଼ିଦିଆଯାଏ ଏବଂ ଅବଶିଷ୍ଟ ଦୁଇ ଚତୁର୍ଥାଂଶ ଭାଗକୁ ପୁନର୍ବାର ମିଶ୍ରଣ କରାଯାଏ । ଆବଶ୍ୟକ ନମୁନା ଆକାର ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟାକୁ ଦୋହରାଯାଇଥାଏ । ବଖରାକରଣ/ବିଭକ୍ତୀକରଣରେ ଏକ ସଫା କଠିନ ପୃଷ୍ଠରେ ମାଟିକୁ ସମାନ ଭାବେ ବିଛାଯାଇଥାଏ ଓ ଲମ୍ବ ଓ ପ୍ରସ୍ଥରେ ସମାନ ଦୂରତାରେ ଗାର ଟଣାଯାଇ ଛୋଟ ଛୋଟ ବଖରା କରାଯାଇଥାଏ । ପ୍ରତ୍ୟେକ ବଖରାରୁ ଚିମୁଟାଏ ମାଟି ସଂଗ୍ରହ କରାଯାଏ । ଆବଶ୍ୟକ ପରିମାଣର ନମୁନା ସଂଗୃହୀତ ହେବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟାକୁ ଦୋହରାଯିବା ଆବଶ୍ୟକ । ନମୁନାକୁ ଏକ ସଫା କପଡ଼ା ଝୋଲାରେ ସଂଗ୍ରହ କରନ୍ତୁ । ନମୁନାଗୁଡ଼ିକରେ ଯେପରି ପତ୍ର ଓ କାଣ୍ଡ ରହି ତାହାକୁ ଦୂଷିତ ନ କରୁ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବା ଉଚିତ୍ । ପ୍ରତ୍ୟେକ ନମୁନାରେ କ୍ଷେତର ଚିହ୍ନଟୀକରଣ, ଚାଷୀଙ୍କ ନାମ ଓ ଠିକଣା, ପୂର୍ବବର୍ତ୍ତୀ ଫସଲର ନାମ, ଏବଂ କେଉଁ ଫସଲ ପାଇଁ ପୋଷକ ସୁପାରିସ ଚାହୁଁଛନ୍ତି ତାହାର ନାମ ଲେଖାଯାଇଥିବା ଏକ ଲେବୁଲ୍ ରହିଥିବା ଆବଶ୍ୟକ । ସଂଗ୍ରହ କରାଯାଇଥିବା ମାଟି ନମୁନାକୁ ମାଟି ପରୀକ୍ଷା ଲ୍ୟାବ୍ ରେ ପରୀକ୍ଷା କରିବା ପାଇଁ ପଠାଇବାକୁ ହେବ ।